ଭୁବନେଶ୍ବର: କାଉଣ୍ଟଡାଉନ୍ ଆରମ୍ଭ, କାଲି ସକାଳୁ ନୂଆପଡ଼ା ଉପ-ନିର୍ବାଚନ ଭୋଟ୍। ଇଭିଏମ, ଭିଭିପାଟ୍ ଓ ଅନ୍ୟ ସରଞ୍ଜାମ ଧରି ସମସ୍ତ ୩୫୮ ବୁଥରେ ପହଞ୍ଚି ସାରିଛନ୍ତି ପୋଲିଂ ପାର୍ଟି। ଦୁର୍ଗମ ମାଓ ପ୍ରବଣ ବୁଥକୁ ସେନା ହେଲିକପଟରେ ଯାଇଛନ୍ତି ପୋଲିଂ କର୍ମଚାରୀ। ତିନି ପ୍ରମୁଖ ଦଳ ବିଜେପି-ବିଜେଡି ଓ କଂଗ୍ରେସ ଯୋଦ୍ଧାଙ୍କ ସହ ମଇଦାନରେ ଥିବା ୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୫୩ ହଜାର ୬୨୪ ଜଣ ଭୋଟର। ମାଓ ଅଧ୍ୟୁଷିତ ଇଲାକାରେ ଅପରାହ୍ନ ୪ଟାରେ ସରିବ ଭୋଟ୍। ସୁରକ୍ଷା ବ୍ୟବସ୍ଥା ବି ସବୁଠି କଡ଼ାକଡ଼ି । କିଏ ହେବ ନୂଆପଡ଼ାର ନୂଆ ଭାଗ୍ୟ ବିଧାତା ? ସକାଳ ୭ରୁ ମନ ପସନ୍ଦର ନେତା ବାଛିବେ ମତଦାତା ।
ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ରହିଛି ମୋଟ୍ ୩୫୮ଟି ବୁଥ୍। ଯାହା ଭିତରୁ ୪୭ଟି ସମ୍ବେଦନଶୀଳ ଓ ୮ଟି ଅତି ସମ୍ବେଦନଶୀଳ। ଇଭିଏମ୍, ଭିଭିପାଟ୍ ଓ ଅନୁସଙ୍ଗିକ ସାଜ ସରଞ୍ଜାମ ଧରି ସବୁଠି ପହଞ୍ଚି ସାରିଛନ୍ତି ପୋଲିଂ ଅଧିକାରୀ। ପ୍ରତି ପୋଲିଂ ପାର୍ଟିରେ ଅଛନ୍ତି ୫ ଜଣିଆ ଟିମ୍। ତିନି ପ୍ରମୁଖ ଦଳ ବିଜେପି-ବିଜେଡି ଓ କଂଗ୍ରେସର ପ୍ରାର୍ଥୀଙ୍କୁ ମିଶାଇ ମଇଦାନରେ ୧୪ଜଣ ଥିବାବେଳେ ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୫୩ ହଜାର ୬୨୪ ଜଣ ଭୋଟର। ଯେଉଁଥିରେ ମହିଳାଙ୍କ ସଂଖ୍ୟା ସର୍ବାଧିକ ୧ ଲକ୍ଷ ୨୯ ହଜାର ୪୯୫।
ନିର୍ବାଚନକୁ ମୁକ୍ତ ଓ ଅବାଧ କରିବାକୁ ସବୁ ବୁଥରେ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦାୟିତ୍ବରେ ୧୪ କଂପାନୀ କେନ୍ଦ୍ରୀୟ ଫୋର୍ସ ସହ ସମ୍ବେଦନଶୀଳ ବୁଥରେ ସଶସ୍ତ୍ର ସୁରକ୍ଷାବଳ ନିୟୋଜିତ ରହିବେ। ମତଦାତାଙ୍କ ପ୍ରତିଟି ଭୋଟ୍ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ନୂଆପଡ଼ା ଜିଲ୍ଲାପାଳ।
ଗୋଟିଏ ପଟେ ନୂଆପଡ଼ା ନିର୍ବାଚନକୁ ଅବାଧ ଓ ଶାନ୍ତିପୂର୍ଣ୍ଣ କରିବାକୁ ନିର୍ବାଚନ କମିଶନଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଥିବାବେଳେ ଗଂଜାମରୁ ଟ୍ରକ୍ ଭର୍ତ୍ତୀ ଇଭିଏମ୍ ନୂଆପଡ଼ା ଆଣି ଲୁଚାଯାଇଥିବା ନେଇ ବିଜେଡି କରିଥିବା ଅଭିଯୋଗର ସ୍ପଷ୍ଟୀକରଣ ରଖିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। କହିଛନ୍ତି- ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ ଇଭିଏମ୍ ୱାର ରୁମ୍ରେ ଅଛି। ନୂଆପଡ଼ାରେ ବି ଇଭିଏମ୍ ଥିଲା, ତାହା ବ୍ୟବହାର ହେଉଛି। ବାହାରୁ କୌଣସି ଇଭିଏମ୍ ଆସିନାହିଁ।
ଗୋଟିଏ ଟ୍ରକ ଇଭିଏମ୍ ନୂଆପଡ଼ା ଆଣିବା ଆଦୌ ସମ୍ଭବପର ନୂହେଁ। ଏଭଳି ଆରୋପକୁ ଭୋଟର ଆଦୌ ବିଶ୍ବାସ କରନ୍ତୁ ନାହିଁ।… କାଉଣ୍ଟଡାଉନ୍ ଆରମ୍ଭ ହୋଇ ସାରିଛି, ଏବେ ଅପେକ୍ଷା କାଲି ସକାଳକୁ। ନୂଆପଡ଼ା ମଙ୍ଗଳବାର ମତଦାନ ପରେ ୧୪ ତାରିଖରେ ପ୍ରକାଶ ପାଇବ ଫଳ। ନୂଆପଡ଼ାର ବିଧାୟକ ରାଜୁ ଢୋଲକିଆଙ୍କ ପରଲୋକ ପରେ ସେଠି ଉପ-ନିର୍ବାଚନ ହେଉଛି ଓ ହାଇଭୋଲଟେଜ୍ ପ୍ରଚାର ବି ହୋଇଛି।














