ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ବଡ଼ ଧରଣର ବିସ୍ଫୋରଣ। ଐତିହାସିକ ରେଡ ଫୋର୍ଟ ବା ଲାଲକିଲ୍ଲା ନିକଟରେ ହୋଇଛି କାର ବିସ୍ଫୋରଣ। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେହିପରି ଏହି ବିସ୍ଫୋରଣରେ ୮ରୁ ଅଧିକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଏକାଧିକ ଗାଡ଼ି ଜଳି ଯିବାରୁ ସବୁ ଆଡ଼େ ଆତଙ୍କ ଦେଖାଯାଇଛି।
ଲାଲକିଲ୍ଲା ଗୋଟିଏ ବଡ଼ ସୁରକ୍ଷା ଜୋନ ଅଞ୍ଚଳରେ ରହିଥିବା ବେଳେ ସେଥିରେ ବିସ୍ଫୋରଣ ପୂରା ସହରରେ ଆତଙ୍କ ଖେଳାଇ ଦେଇଛି। ପୂରା ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି। ମୁମ୍ବାଇ ଓ ହାଇଦ୍ରାବାଦରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଦିଲ୍ଲୀର ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ପୁଲିସ୍ ଚେକିଂ ଆରମ୍ଭ କରିଛି। କେଉଁ ପରିସ୍ଥିତିରେ ବିସ୍ଫୋରଣ ହେଲା, ତା’ର ଯାଞ୍ଚ ଆରମ୍ଭ ହୋଇଛି। ଘଟଣା ସ୍ଥଳରେ ଫରେନ୍ସିକ ଟିମ, ଏନଏସଜି କମାଣ୍ଡୋ ଓ ଏନଆଇଏ ଅଧିକାରୀମାନେ ପହଞ୍ଚିଛନ୍ତି। ବିସ୍ଫୋରଣର ପ୍ରକୋପ ଏତେ ଭୟଙ୍କର ଥିଲେ ଯେ ଷ୍ଟ୍ରିଟ ଲାଇଟ ମଧ୍ୟ ଦୋହଲି ଯାଇଥିବା ପ୍ରତ୍ୟେକ୍ଷଦର୍ଶୀମାନେ କହିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ ନମ୍ବର ୧ ପାଖରେ ଗୋଟିଏ ମାରୁତି ଇକୋ ଭ୍ୟାନ ପହଞ୍ଚିଥିଲା। ଏହାପରେ ଭ୍ୟାନ୍ରେ ହଠାତ୍ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପୂରା ଅଞ୍ଚଳକୁ ଦୋହଲାଇ ଦେଇଥିବା ବେଳେ ଏକାଧିକ କାର ହୁତୁହୁତୁ ହୋଇ ଜଳି ଯାଇଛି। ବିସ୍ଫୋରଣ ହୋଇଥିବା କାର ସମେତ ଆଖପାଖ ଅଞ୍ଚଳରେ ଥିବା ଆଉ ୮ଟି କାର ମଧ୍ୟ ବିସ୍ଫୋରଣରେ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
କଳା ଧୂଆଁ ପୂରା ଅଞ୍ଚଳରେ ବ୍ୟାପି ଯାଇଥିବା ବେଳେ ଦିଲ୍ଲୀ ପୁଲିସ୍ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ନିଆଁ ଲିଭା କାର୍ଯ୍ୟରେ ୨୦ ଦମକଳ ବାହିନୀ ନିୟୋଜିତ ହୋଇଥିବା ଜଣାପଡ଼ିଛି। ପୁଲିସ୍ ପୂରା ଅଞ୍ଚଳକୁ କର୍ଡନ କରିଛି। ଲୋକଙ୍କୁ ଘଟଣାସ୍ଥଳରୁ ଦୂରେଇ ରହିବାକୁ କୁହାଯାଇଛି। ଫରେନ୍ସିକ ଟିମ ଘଟଣା ସ୍ଥଳକୁ ଆସିଥିବା ବେଳେ ବିସ୍ଫୋରଣ ପଛରେ କିଛି ଷଡ଼ଯନ୍ତ୍ର ରହିଛି କି ନାହିଁ, ତା’କୁ ଅନୁଧ୍ୟାନ କରାଯାଉଛି। ଦିଲ୍ଲୀ ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି ଯେ ସେମାନେ ସନ୍ଧ୍ୟା ୬.୫୫ରେ ବିସ୍ଫୋରଣ ସମ୍ପର୍କରେ ଖବର ପାଇଥିଲେ। ଏହାପରେ ୭ଟି ଅଗ୍ନିଶମ ଗାଡ଼ି ଓ ୧୫ ସିଏଟି ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି।
ଏହି ଘଟଣା ପୂର୍ବରୁ ରବିବାର ଓ ଆଜି ମିଳିତ ଭାବେ ଦିଲ୍ଲୀ ଠାରୁ ୪୫ କିମି ଦୂର ଫରିଦାବାଦରୁ ୨୯୦୦ କେଜିର ବିସ୍ଫୋରକ ଜବତ ହୋଇଥିଲା। ଏତେ ପରିମାଣର ବିସ୍ଫୋରଣ ଜବତ କରି ଆତଙ୍କୀଙ୍କ ସବୁ ଯୋଜନା ପଣ୍ଡ କରିଥିଲେ ସୁରକ୍ଷାକର୍ମୀ। ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ସନ୍ଧ୍ୟାରେ ବିସ୍ଫୋରଣ ଖବର ସାମ୍ନାକୁ ଆସିଛି।
——
ହାଇଆଲର୍ଟରେ ପୁରୀ
ଭୁବନେଶ୍ବର: ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀର ଐତିହାସିକ ସ୍ଥଳୀ ଲାଲକିଲ୍ଲା ନିକଟରେ ଆଜି ସନ୍ଧ୍ୟାରେ ଏକ ବଡ଼ଧରଣର ବିସ୍ଫୋରଣ ଘଟିବା ପରେ ଓଡ଼ିଶା ସରକାର ସତର୍କ ହୋଇଯାଇଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପୁରୀରେ ହାଇଆଲର୍ଟ ଜାରି କରାଯାଇଛି। ଏଥି ପାଇଁ ପୁରୀ ପୁଲିସ ଐତିହାସିକ ସହର ‘ଶ୍ରୀକ୍ଷେତ୍ର’ ସହିତ ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ମଜବୁତ କରିଦେଇଛି। ପୁରୀର ସବୁ ପ୍ରବେଶ ପଥରେ ଯାଞ୍ଚ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି।
ପୁରୀ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂହ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ଦିଲ୍ଲୀ ଘଟଣା ପରେ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ପୁରୀ ଶ୍ରୀମନ୍ଦିର, ବଡ଼ଦାଣ୍ଡ, ରେଳଷ୍ଟେସନ, ବସ୍ଷ୍ଟାଣ୍ଡ ଓ ସମୁଦ୍ର ଉପକୂଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ୍ କରିଦିଆଯାଇଛି। ସେହିପରି ଦିଲ୍ଲୀ ଏବଂ ମୁମ୍ବଇରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି।














