ପାରଳାଖେମୁଣ୍ଡି: ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ସରକାରଙ୍କ ପକ୍ଷରୁ ମହେନ୍ଦ୍ରଗିରିର ଶିଖରରେ ନିର୍ମାଣ ହୋଇଛି ଆକର୍ଷଣୀୟ ଇକୋ ରିସର୍ଟ କଟେଜ। ଯାହାର ଶୁଭ ଉଦ୍ଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ, ବାଣିଜ୍ୟ, ପରିବହନ ଓ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରମୁଖଙ୍କ ଉପସ୍ଥିତିରେ ଏହାର ଶୁଭ ଉଦଘାଟନ କରାଯାଇଛି। ଏଥିରେ ଦଶଟି କଟେଜ୍ ନିର୍ମାଣ ହୋଇଥିବା ବେଳେ ପର୍ଯ୍ୟଟକଙ୍କ ଆବଶ୍ୟକ ଅନୁସାରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ରହିଛି। ବିଶେଷ କରି ପର୍ଯ୍ୟଟକ ପର୍ବତ ଶିଖରର ପରିବର୍ତ୍ତିତ ଜଳବାୟୁ ସହ ମନଲୋଭା ପରିବେଶ ମଧ୍ୟରେ ରାତ୍ରି ଯାପନ କରିବା ନିଆରା ଅନୁଭୂତି ସୁରକ୍ଷିତ ଭାବେ ନେଇ ପାରିବେ ସେଥିପାଇଁ ବିଶେଷ ଦୃଷ୍ଟି ଦିଆଯାଇଛି। କାର୍ଯ୍ୟକ୍ରମରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ ପାଣିଗ୍ରାହୀ, ଛତ୍ରପୁର ବିଧାୟକ କୃଷ୍ଣ ନାଯକ, ଗଜପତି ଜିଲ୍ଲାପାଳ ମଧୁମିତା, ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନ, ଅତିରିକ୍ତ ଜିଲ୍ଲାପାଳ ଫାଲ୍ଗୁନୀ ମାଝୀ, ଉପଜିଲ୍ଲାପାଳ ଅନୁପ ପଣ୍ଡା , ବନଖଣ୍ଡ ଅଧିକାରୀ ଏସ ନାଗରାଜୁ ଏସିଏଫ ଅରୁଣ କୁମାର ସାହୁଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ, ବନ ବିଭାଗର ଅଧିକାରୀ, ପୁଲିସ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
ମହେନ୍ଦ୍ରଗିରି ଏକ ପୁରାଣ ପ୍ରସିଦ୍ଧ ସ୍ଥାନ । ଏଠାରେ ତିନିଗୋଟି ପ୍ରାଚୀନ ମନ୍ଦିର ରହିଅଛି, ଭୀମ ମନ୍ଦିର, ଯୁଧିଷ୍ଠିର ଓ କୁନ୍ତୀ ମନ୍ଦିର, ଅର୍ଜୁନ ଗୁମ୍ଫା ରହିଅଛି । ଏଠାରେ ସର୍ବଦା ମନ୍ଦ ମଳୟ ପ୍ରବାହିତ ହୋଇଥାଏ। ଜଳବାୟୁ ଅତ୍ୟନ୍ତ ସ୍ୱାସ୍ଥ୍ୟପ୍ରଦ, ପ୍ରତିଦିନ ଏଠାରେ ବର୍ଷା, ଶୀତ, ବସନ୍ତ ଇତ୍ୟାଦି ଷଡ଼ଋତୁ ଅନୁଭୂତ ହୁଏ । ମହେନ୍ଦ୍ରଗିରିର ଅରଣ୍ୟ ଶୋଭା ଭାରି ମନଲୋଭା, ବର୍ଷାଦିନେ ପର୍ବତ ଶୃଙ୍ଗରେ ମେଘମାଳା ଭାରି ଆକର୍ଷଣୀୟ ଓ ସୂର୍ଯ୍ୟ ଉଦୟ ଦର୍ଶନ ଏଠାରେ ଅତ୍ୟନ୍ତ ରମଣୀୟ। ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ପକ୍ଷରୁ ଇକୋ ଟୁରିଜିମ ବ୍ୟବସ୍ଥା ଆଜି ଠାରୁ ଆରମ୍ଭ ହୋଇଛି ଏବଂ ଏହି ଇକୋ ଟୁରିଜିମ ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଠ କରିବାରେ କେନ୍ଦ୍ରବିନ୍ଦୁ ସାଜିଥିବା ବେଳେ ଏହି ଅଞ୍ଚଳରେ ପର୍ଯ୍ୟଟନକୁ ବୃଦ୍ଧି କରିବ । ଏଠାକୁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ବର୍ଷ ସାରା ଆସିଥାନ୍ତି। ସେହିପରି ଚନ୍ଦ୍ରଗିରି ନିକଟସ୍ଥ ଜିରାଙ୍ଗ ଠାରେ ଥିବା ଏସିଆ ମହାଦେଶର ଦ୍ବିତୀୟ ବୃହତ୍ତମ ବୌଦ୍ଧ ମନ୍ଦିର,ଖସଡ଼ା ଜଳପ୍ରପାତ, ରାୟଗଡ ବ୍ଲକ ର ଗଣ୍ଡାହାତୀ ଜଳପ୍ରପାତ ସହିତ ଆହୁରି ଆନେକ ପର୍ଯ୍ୟଟନ ସ୍ଥଳ ରହିଅଛି।














