ବରଗଡ଼: ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ମାସ ୨୪ ତାରିଖରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ଆସନ୍ତା ୨୦୨୬ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ଏଥର ମହୋତ୍ସବରେ ଅଭିନୟ ପାଇଁ କଂସ ସମେତ ଅନ୍ୟ ପ୍ରମୁଖ ଚରିତ୍ର ପାଇଁ କଳାକାର ଚୟନ କରାଯାଇଛି। ଏଥିରେ ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଚିଚିଣ୍ଡା ଗ୍ରାମର ସୁଶୀଲ ମେହେର ବରଗଡ଼ କଂସ ଅଭିନେତା ଭାବେ ମନୋନୀତ ହୋଇଛନ୍ତି।
ସେହିପରି ପ୍ରଭାସ କୁମାର ତ୍ରିପାଠୀ ମୁଷ୍ଟିକ, ହିମାଂଶୁ ସାହୁ ଚାଣୁର, ଆର୍ତ୍ତତ୍ରାଣ ମହାପାତ୍ର ଉଗ୍ରସେନ, କାମରାଜ ଭୋଇ ନାରଦ, ମନୋଜ ସାହୁ ବସୁଦେବ, ଜଗନ୍ନାଥ ସାହୁ ଅକ୍ରୂର, ଜଗବନ୍ଧୁ ମହାଲିଙ୍ଗ ସାର୍ତ୍ତକୀ, ଅମ୍ବାଭୋନାର ହେମନ୍ତ ପ୍ରଧାନ ସେନାପତି, ଗୁଲାବ ଚନ୍ଦ୍ର ଦାଶ ମହାମନ୍ତ୍ରୀ ଚରିତ୍ର ପାଇଁ ଚୟନ ହୋଇଛନ୍ତି। ଧନୁଯାତ୍ରା ମହୋତ୍ସବ ସମିତି ଉପସଭାପତି ବରଗଡ଼ ଅତିରିକ୍ତ ଜିଲାପାଳ ମହେନ୍ଦ୍ର ମହାପାତ୍ର ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏହା ଘୋଷଣା କରିଛନ୍ତି।
ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୨୪ ତାରିଖରୁ ଜାନୁଆରି ୩ ତାରିଖ ଯାଏଁ ଅନୁଷ୍ଠିତ ହେବ ବୋଲି ମହୋତ୍ସବ ସମିତି ପକ୍ଷରୁ କୁହାଯାଇଛି। ଏଥିପାଇଁ ଆଜି ପ୍ରଥମ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀକକ୍ଷରେ ଅନୁଷ୍ଠିତ ହୋଇଥିଲା। ଧନୁଯାତ୍ରା ମହୋତ୍ସବ ସମିତିର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ବରଗଡ ବିଧାୟକ ଅଶ୍ୱିନୀ ଷଡଙ୍ଗୀ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ଅତାବିରା ବିଧାୟକ ନିହାର ରଂଜନ ମହାନନ୍ଦ, ପୌରାଧ୍ୟକ୍ଷା କଳ୍ପନା ମାଝୀଙ୍କ ସମେତ ସମିତିର ବିଭିନ୍ନ କମିଟିର କର୍ମକର୍ତ୍ତାମାନେ ଯୋଗଦେଇଥିଲେ।














