ପାରାଦୀପ, ନେହେରୁବଙ୍ଗଳାରେ ଅଭାବନୀୟ ଘଟଣା
ପାରାଦୀପ: ପାରାଦୀପର ଅନ୍ୟତମ ପର୍ଯ୍ୟଟନ ସ୍ଥାନ ନେହେରୁବଙ୍ଗଳା ଠାରେ ବୁଧବାର ରାତିରେ ଅଭାବନୀୟ ଘଟଣା ଘଟିଛି। ଜଣେ ନିଶାଶକ୍ତ ଯୁବକଙ୍କୁ ପୋଲିସ ପାଖରୁ ଉଦ୍ଧାର କରିବା ପାଇଁ ତାଙ୍କର ଦୁଇ ଜଣ ସାଙ୍ଗ ପେଟ୍ରୋଲ ଢାଳି ମାରିବାକୁ ଉଦ୍ୟମ କରିଥିଲେ। ଫଳରେ ପୋଲିସ ଓ ସଂପୃକ୍ତ ନିଶାଶକ୍ତ ଯୁବକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା।ପରେ ସଂପୃକ୍ତ ଦୁଇ ଯୁବକଙ୍କୁ ପୋଲିସ କାବୁ କରି ଗିରଫ କରିଥିଲା।ଗୁରୁବାର ଏହି ଘଟଣାରେ ୬୫/୨୫ରେ ମାମଲା ରୁଜୁ କରି ସଂପୃକ୍ତ ଦୁଇଜଣଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ।ଗିରଫ ଅଭିଯୁକ୍ତ ମଧ୍ୟରେ ଜଣେ ପୂର୍ବତନ କାଉନସିଲର ଅଛନ୍ତି।
ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ମେରାଇନ୍ ପୋଲିସ ନେହେରୁବଙ୍ଗଳା ପର୍ଯ୍ୟଟନ ସ୍ଥାନ ପଥରବନ୍ଧ ସଂଯୋଗ ରାସ୍ତାରେ ପାଟ୍ରୋଲିଂ କରୁଥିଲେ।ଏହି ସମୟରେ ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ତାରିଣୀଗଡା ଅଞ୍ଚଳର ଯୁବକ ଶୁଭେନ୍ଦୁ କୁମାର ପରିଡା ନିଶାଶକ୍ତ ଭାବେ ଗାଡି ଚଳାଉଥିବା ବେଳେ ପୋଲିସ ହାବୁଡ଼ରେ ପଡିଥିଲେ।ପୋଲିସ ସଂପୃକ୍ତ ଯୁବକଙ୍କୁ ମଦ ମାପକ ଯନ୍ତ୍ର ଜରିଆରେ ପରୀକ୍ଷା କରି ଥାନାକୁ ନେଇଥିଲେ।ତାଙ୍କୁ ଥାନାରୁ ବାହାର କରିବା ପାଇଁ ତାଙ୍କର ଦୁଇ ଜଣ ସାଙ୍ଗ ପୂର୍ବତନ କାଉନସିଲର ନରେଶ ବିଶ୍ବାଳ ଓ ଅଭିମନ୍ୟୁ ପଡିହାରୀ ଥାନାରେ ପହଞ୍ଚି ଆଲୋଚନା କରିଥିଲେ।ପୋଲିସ ପକ୍ଷରୁ କୁହାଗଲା ତାଙ୍କର ଚାଲାଣ କଟା ସରିଛି।ଏବଂ କିଛି ସମୟ ପରେ ନୋଟିସ ଦିଆଯାଇ ଛଡାଯିବ।ଏଥିରେ ନରେଶ ଓ ଅଭିମନ୍ୟୁ ଥାନାରୁ ଯାଇ ଏକ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ଧରି ବିଳମ୍ବିତ ରାତିରେ ଥାନାରେ ପହଞ୍ଚି ପୋଲିସକୁ ଧମକ ଦେଇଥିଲେ।ତୁମେ ଶୁଭେନ୍ଦୁ ଙ୍କୁ ନ ଛାଡିଲେ ତାଙ୍କର ବାଇକ୍ ସହ ତାଙ୍କୁ ପୋଡିଦେବୁ କହି ପେଟ୍ରୋଲ ଢାଳିଦେଲେ।ପୋଲିସ ଏପରି ଘଟଣାକୁ ନିୟନ୍ତ୍ରଣ କରି ଦୁଇଜଣଙ୍କୁ କାବୁ କରିଥିଲେ।ପରେ ନିଶାଶକ୍ତ ଥିବା ଶୁଭେନ୍ଦୁ ଙ୍କୁ ପୋଲିସ ଛାଡି ନରେଶ ଓ ଅଭିମନ୍ୟୁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରିଣୀ ବବିତା ଦେହୁରୀ ସୂଚନା ଦେଇଛନ୍ତି।














