ଜଟଣୀ: ଚଳିତ ମାସ ୮ ତାରିଖ ଠାରୁ ଆରମ୍ଭ ହେବ ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ମେଳନ। ଦୀର୍ଘ ୫ ଦିନ ଧରି ଆୟୋଜିତ ଏହି ମେଳନର ମୁଖ୍ୟ ଆକର୍ଷଣ ହେଉଛି ବିଭିନ୍ନ ପ୍ରକାରର ବାଣ। ୮ ତାରିଖ ଜମାଣ ରାତିରେ ଏହି ଆତସବାଜୀ ପ୍ରଦର୍ଶନକୁ ଦେଖିବା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଜମା ହୋଇଥାନ୍ତି। ଥାନପତି ସୋମନାଥ ଦେବଙ୍କ ସମେତ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୮୫ ଗୋଟି ଦୋଳ ଯୋଗଦେଇଥାନ୍ତି। ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ଆଗନ୍ତୁକ ଏହି ମେଳନରେ ଯୋଗଦେବା ସହ କୋଟି କୋଟି ଟଙ୍କାର କାରବାର ମଧ୍ୟ ହୋଇଥାଏ। ପ୍ରାୟ ୩୦୦ ବର୍ଷ ଧରି ଆୟୋଜିତ ହୋଇ ଆସୁଥିବା ଏହି ହରିରାଜପୁର ମେଳନରେ ବିଭିନ୍ନ ପ୍ରକାର ଘରକରଣା ଜିନିଷ ମିଳିଥାଏ। ପ୍ରତ୍ୟେକ ଦିନ ଭଜନ, ମେଲୋଡି, ଯାତ୍ରା ଓ ପ୍ରଶାସନିକ ଷ୍ଟଲ୍ ଲୋକମାନଙ୍କୁ ଆକୃଷ୍ଟ କରିଥାଏ।
ଏଠାରେ ସୂଚନାଯୋଗ୍ୟ, ୮ ତାରିଖ ମଧ୍ୟରାତ୍ରରୁ ଜମାଣ ଉତ୍ସବ ଆରମ୍ଭ ହୋଇ ୧୨ ତାରିଖ ସନ୍ଧ୍ୟାରେ ମେଳନ ଉତ୍ସବ ପରେ ଏହି ମେଳନ ଉଦ୍ଯାପନ ହେବ। ଏ ନେଇ ପୁରୀ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମେଳନ ପରିଚାଳନା ପରିଷଦର ସମ୍ପାଦକ ପ୍ରସନ୍ନ କୁମାର ମହାରଥୀ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମହିଳା ସମାଜସେବୀ ନିରୁପମା ପାତ୍ର, ନାରୀନେତ୍ରୀ ବାସନ୍ତୀ ସାହୁ ପ୍ରମୁଖ ଯୋଗଦେଇଥିଲେ।














