ଭୁବନେଶ୍ବର: ସୋମବାର ଠାରୁ ସ୍ଥାନୀୟ ପୁଲିସ ଭବନଠାରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶା (ଏନ୍ଏଲ୍ୟୁଓ) ର ‘ସେଣ୍ଟର ଫର ଚାଇଲ୍ଡ ରାଇଟ୍ସ’ ଏବଂ ଓଡ଼ିଶା ପୁଲିସର ମହିଳା ଓ ଶିଶୁ ଅପରାଧ ଶାଖା ମିଳିତ ଆନୁକୂଲ୍ୟରେ ଶିଶୁ ସୁରକ୍ଷାର ଆବଶ୍ୟକତା ଶୀର୍ଷକ ଏକ ଦୁଇଦିନିଆ ତାଲିମ ଶିବିର ଆରମ୍ଭ ହୋଇଯାଇଛି।
ଏହି ତାଲିମ ଶିବିରରେ ଓଡ଼ିଶା ପୁଲିସର କର୍ମଚାରୀ ଏବଂ ମହିଳା ଓ ଶିଶୁ ଅପରାଧ ଶାଖାର ପୁଲିସ ଅଧିକାରୀମାନେ ଯୋଗ ଦେଇଥିଲେ। ମେ ୧୮ ଏବଂ ୧୯ ତାରିଖ ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ପ୍ରଶିକ୍ଷଣ ଶିବିରର ପ୍ରଥମ ଦିନ ଭୁବନେଶ୍ୱରର ପୋଲିସ ଭବନ ସ୍ଥିତ କନଭେନସନ ହଲ୍ଠାରେ ହୋଇଥିବା ବେଳେ ଦ୍ୱିତୀୟ ଦିନ ରସୁଲଗଡ଼ ସ୍ଥିତ ମହିଳା ଓ ଶିଶୁ ଅପରାଧ ଶାଖା ମୁଖ୍ୟାଳୟଠାରେ ଅନୁଷ୍ଠିତ ହେବ।
ସୋମବାର ଉଦ୍ଘାଟନୀ ଉତ୍ସବରେ, ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମବ୍ରାଞ୍ଚ) ବିନୟତୋଷ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ। ନିଜ ଅଭିଭାଷଣରେ କହିଥିଲେ, ଆଜିକାଲି ପିଲାମାନେ ଡିଜିଟାଲ ଦୁନିଆରେ ବହୁତ ମାତ୍ରାରେ ଜଡ଼ିତ ରହୁଛନ୍ତି, ଯାହା ଫଳରେ ସେମାନେ ନିଜ ମନର କଥା ଓ ସମସ୍ୟା କାହାକୁ ସହଜରେ କହିପାରୁନାହାନ୍ତି। ଏହି ପରିପ୍ରେକ୍ଷୀରେ ପିଲାମାନଙ୍କର ଡିଜିଟାଲ ସୁରକ୍ଷା , ସାଇବର ସୁରକ୍ଷା , ସାଇବର ବୁଲିଂର ପ୍ରତିକାର ଏବଂ ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଦୃଷ୍ଟି ଦେବା ନିତାନ୍ତ ଆବଶ୍ୟକ । ଅନଲାଇନ୍ ଫିଡିଂ ଏବଂ ମନସ୍ତାତ୍ଵିକ ଅବକ୍ଷୟ ରୋକିବା ସହ କୌଣସି କାରଣରୁ ଅପରାଧ ଦିଗକୁ ମୁହାଁଇଥିବା ପିଲାମାନଙ୍କୁ ସୁଧାରି ସେମାନଙ୍କୁ ପୁନର୍ବାର ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ଦିଗରେ ପୋଲିସର ଗୁରୁଦାୟିତ୍ୱ ରହିଛି ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମହିଳା ଓ ଶିଶୁ ଅପରାଧ ଶାଖା) ଶାଇନି ଏସ୍, ଏନ୍ଏଲ୍ୟୁଓର ଡିନ୍ ଏକାଡେମିକ୍ସ ପ୍ରଫେସର ଡଲି ଜବଲ, ସେଣ୍ଟର ଫର ଚାଇଲ୍ଡ ରାଇଟ୍ସର ପ୍ରଫେସର ବିରାଜ ସ୍ବାଇଁ ପ୍ରମୁଖଯୋଗ ଦେଇଥିଲେ। ଏଭଳି କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟରେ ଶିଶୁ ସୁରକ୍ଷା ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ଏବଂ ଶିଶୁମାନଙ୍କ ସହ ଜଡ଼ିତ ସମସ୍ତ ମାମଲାଗୁଡ଼ିକର ସଠିକ୍, ସମୟୋଚିତ ଓ ସମ୍ବେଦନଶୀଳ ତଦନ୍ତ ହୋଇପାରିବ ବୋଲି ମତ ଦେଇଥିଲେ।














