ବରଗଡ଼, ଢେଙ୍କାନାଳ, କନ୍ଧମାଳ, ସମ୍ବଲପୁର…ମୌସୁମୀ ବାୟୁ ସକ୍ରିୟ ରହିଥିବା ବେଳେ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି ଜଳବନ୍ଦୀ ସମସ୍ୟା । ବରଗଡ଼ରେ ଜଳବନ୍ଦୀ ଅବସ୍ଥାରେ ପଡାବାସୀ, ଘରେ ଘରେ ଆଣ୍ଠୁଏ ପାଣି ପଶିଥିବା ବେଳେ ରୋଷେଇବାସ ସବୁ ଠପ୍ । କନ୍ଧମାଳ ବାଲିଗୁଡ଼ାରେ ଦୁଇ ଦିନ ଧରି ଲଗାଣ ବର୍ଷା ଫଳରେ ତଳିଆ ଅଞ୍ଚଳରେ ପାଣି ଜମି ରହିବା କାରଣରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଢ଼େଙ୍କାନାଳ ସହର ସମେତ ଆଖପାଖ ଅଞ୍ଚଳରୁ ମଧ୍ୟ ସମାନ ଚିତ୍ର ସାମ୍ନାକୁ ଆସିଛି ।
କେବଳ ଗ୍ରାମାଞ୍ଚଳ ନୁହେଁ କଟକ, ଭୁବନେଶ୍ୱର, ସମ୍ବଲପୁର ଭଳି ବଡ଼ ବଡ଼ ସହରରେ ମଧ୍ୟ ସାମାନ୍ୟ ବର୍ଷା ଡ୍ରେନେଜ୍ ଭିତ୍ତିଭୂମି ବିପର୍ଯ୍ୟସ୍ତ ଅବସ୍ଥା ପଦାରେ ପଡ଼ିଛି । ଭୁବନେଶ୍ୱର ମହାନଗର ନିଗମ ଅଧୀନ ୪ ନମ୍ବର ୱାର୍ଡର ବୈଭବ ନଗରରେ ଡ୍ରେନେଜ୍ ବ୍ୟବସ୍ଥା ଠିକ୍ ନଥିବାରୁ ବର୍ଷା ପାଣି ନିଷ୍କାସନ ହୋଇପାରୁନାହିଁ । ପିଲାଙ୍କ ପାଠପଢ଼ାଠାରୁ ରୋଗୀଙ୍କ ଚିକିତ୍ସା ସବୁକିଛି ପ୍ରଭାବିତ ହୋଇଛି । କଟକ ବଡ଼ ଡାକ୍ତରଖାନା ପରିସରରେ ମଧ୍ୟ ବିଭିନ୍ନ ସ୍ଥାନରେ ପାଣି ଜମିରହୁଛି । ସେପଟେ ୨ରୁ ୩ ଘଣ୍ଟାର ବର୍ଷାରେ ସମ୍ବଲପୁରରେ ଡ୍ରେନ୍ ଉଛୁଳି ଗଳିରୁ ବସଷ୍ଟାଣ୍ଡ ଯାଏ ପାଣି ଜମିଛି ।
ପ୍ରତ୍ୟେକ ବର୍ଷ ମୌସୁମି ଆସୁଛି ଯାଉଛି, ପ୍ରଶାସନ ପ୍ରତିଶ୍ରୁତି ମଧ୍ୟ ଦେଉଛି । ହେଲେ ସାମାନ୍ୟ ବର୍ଷାରେ ଗାଁଠୁ ସହର ଉବୁଟୁବୁ ହେବା ସହ ବ୍ୟବସ୍ଥାର ସତ ପାଣିରେ ଭାସୁଛି ।














