ଭୁବନେଶ୍ୱର : ଆସନ୍ତା ମାଟ୍ରିକ୍ ପରୀକ୍ଷାର ମୂଲ୍ୟାୟନ ଡିଜିଟାଲ୍ ମୋଡ୍ରେ ତଥା ଅନ୍-ସ୍କ୍ରିନ୍ ଭ୍ୟାଲୁଏସେନ୍ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଯୋଜନା ରଖିଛି । ଏଥିଲାଗି ପରୀକ୍ଷାମୂଳକ ଭାବେ ଚଳିତ ସପ୍ଲିମେଣ୍ଟାରୀ ପରୀକ୍ଷା ସହ ଷ୍ଟେଟ୍ ଓପନ ସ୍କୁଲ୍ ସାର୍ଟିପିକେଟ୍ ପରୀକ୍ଷାର ଉତ୍ତର ଖାତାଗୁଡ଼ିକର ଡିଜିଟାଲ୍ ଭ୍ୟାଲୁଏସନ୍ କରାଯିବ । ତେଣୁ ଉତ୍ତର ଖାତାରେ ମୂଲ୍ୟାୟନକାରୀଙ୍କର ଲାଲ ରଙ୍ଗ କାଳିର କଲମରେ ଭୁଲ୍ ଠିକ୍ ବାଛି ନମ୍ବର ନମ୍ବର ଦେବା ବଦଳରେ ଲାପ୍ଟପର ସ୍କ୍ରିନ୍ ଉପରେ ମାଉସ୍ରେ କ୍ଲିକ କରି ରେଡ ମାର୍କ ଦେଇ ମୂଲ୍ୟାୟନ କରିବେ ।
ଏହି ଡିଜିଟାଲ ମୂଲ୍ୟାୟନ ଲାଗି ବୋର୍ଡ ପକ୍ଷରୁ ଏବେ ପ୍ରସ୍ତୁତି ଆରମ୍ଭ ହୋଇଛି। ଡିଜିଟାଲ ଭ୍ୟାଲୁଏସନ୍ ରାଜ୍ୟର ୩ଟି ସ୍ଥାନରେ ଯଥା ସମ୍ବଲପୁର, ଭୁବନେଶ୍ୱର ଓ କଟକରେ ହେବ ବୋଲି ବୋର୍ଡ ପକ୍ଷରୁ ସ୍ଥିର ହୋଇଛି । ପରୀକ୍ଷା ଆସନ୍ତା ୧୦ ତାରିଖରେ ଶେଷ ହେଉଥିବାରୁ ମୂଲ୍ୟାୟନ ପ୍ରାୟ ୧୯ ତାରିଖରୁ ଆରମ୍ଭ ପାଇଁ ବୋର୍ଡ ଲକ୍ଷ୍ୟ ରଖାଯାଇଛି। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷାର ପ୍ରଥମ ଥର ପାଇଁ ଡିଜିଟାଲ ଭ୍ୟାଲୁଏସନ୍ ପାଇଁ ଯୋଜନା ଥିବାରୁ ଏହା ପୂର୍ବରୁ ମୂଲ୍ୟାୟନକାରୀଙ୍କୁ ବୋର୍ଡ ପକ୍ଷରୁ ଟ୍ରେନିଂ ଦିଆଯିବ। ଦୁଇ ଦିନ ଧରି ହେବାକୁ ଥିବା ଏହି ତାଲିମ୍ ଶିବିରରେ ୪ ଶହ ଶିକ୍ଷକ ତାଲିମ ନେବେ।
ଗତ ୨ ତାରିଖରେ ଆରମ୍ଭ ହୋଇଥିବା ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ଏସଓଏସ୍ସି ପରୀକ୍ଷା ଆସନ୍ତା ୧୦ ତାରିଖରେ ଶେଷ ହେବ। ପ୍ରଥମ ୩ ଦିନର ପରୀକ୍ଷା ଖାତା ଆଜି ଠାରୁ ବୋର୍ଡ ପକ୍ଷରୁ ପ୍ରତି ପରୀକ୍ଷା କେନ୍ଦ୍ରରୁ ସଂଗ୍ରହ କରାଯିବ। ପରୀକ୍ଷା ଶେଷ ହେବା ପରେ ଅବଶିଷ୍ଟ ବିଷୟର ଉତ୍ତର ଖାତା ସହ ଏସ୍ଓଏସ୍ସିର ଉତ୍ତରଖାତାଗୁଡ଼ିକ ସଂଗ୍ରହ କରାଯାଇ ଆସନ୍ତା ୧୨ ତାରିଖ ସୁଦ୍ଧା ବୋର୍ଡ କାର୍ଯ୍ୟାଳୟରେ ପହଞ୍ଚିବ । ଖାତା ସ୍କାନ୍ ପରେ ମୂଲ୍ୟାୟନକାରୀମାନେ ଅନସ୍କ୍ରିନରେ ମୂଲ୍ୟାୟନ କରିବେ।














