ମୁମ୍ବାଇ, ୧୮ ଜୁଲାଇ: ଦେଶର ସର୍ବବୃହତ ଘରୋଇ କ୍ଷେତ୍ର ବ୍ୟାଙ୍କ ଏଚଡିଏଫସି ବ୍ୟାଙ୍କ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ (ଏପ୍ରିଲ-ଜୁନ) ଫଳାଫଳ ଘୋଷଣା କରିଛି। ବ୍ୟାଙ୍କର ଟିକସ ପରବର୍ତ୍ତୀ ଲାଭ (ପ୍ୟାଟ) ବାର୍ଷିକ ଭିତ୍ତିରେ ୫ ପ୍ରତିଶତ ବୃଦ୍ଧି ପାଇ ୧୯,୦୬୦ କୋଟି ଟଙ୍କାରେ ପହଞ୍ଚିଛି। ବିଗତ ବର୍ଷ ଏହି ସମୟରେ ଏହା ୧୮,୧୫୫ କୋଟି ଟଙ୍କା ଥିଲା।
ତ୍ରୈମାସିକରେ ବ୍ୟାଙ୍କର ନେଟ୍ ଇଣ୍ଟରେଷ୍ଟ ଇନକମ୍ ୬.୭ ପ୍ରତିଶତ ବୃଦ୍ଧି ପାଇ ୩୩,୫୩୦ କୋଟି ଟଙ୍କାରେ ପହଞ୍ଚିଥିବା ବେଳେ ନେଟ୍ ଇଣ୍ଟରେଷ୍ଟ ମାର୍ଜିନ୍ ୩.୨୬ ପ୍ରତିଶତ ରହିଛି। ବ୍ୟାଙ୍କର ମୋଟ ଆୟ ୪୬,୩୬୦ କୋଟି ଟଙ୍କା ରହିଛି।
୩୦ ଜୁନ ୨୦୨୬ ସୁଦ୍ଧା ବ୍ୟାଙ୍କର ମୋଟ ବାଲାନ୍ସ ସିଟ୍ ଆକାର ୪୩.୯୮ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ମୋଟ ଜମା ବାର୍ଷିକ ଭିତ୍ତିରେ ୧୪.୭ ପ୍ରତିଶତ ବଢ଼ି ୩୧.୭୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ସେହିପରି ମୋଟ ଋଣ ୧୫.୪ ପ୍ରତିଶତ ବୃଦ୍ଧି ସହ ୩୦.୬୧ ଲକ୍ଷ କୋଟି ଟଙ୍କା ହୋଇଛି। ଖୁଚୁରା ଋଣ ୭.୨ ପ୍ରତିଶତ, ଏସଏମଇ ଋଣ ୧୮.୭ ପ୍ରତିଶତ ଏବଂ କର୍ପୋରେଟ୍ ଋଣ ୧୮.୬ ପ୍ରତିଶତ ବଢ଼ିଛି।
ବ୍ୟାଙ୍କର ସମ୍ପତ୍ତି ଗୁଣବତ୍ତା ମଧ୍ୟ ସୁଦୃଢ଼ ରହିଛି। ମୋଟ ଅନାଦାୟ ଋଣ ୧.୧୭ ପ୍ରତିଶତ ଏବଂ ନେଟ୍ ଏନପିଏ ୦.୪୧ ପ୍ରତିଶତ ରହିଛି। ବେସେଲ-୩ ନିୟମ ଅନୁଯାୟୀ ବ୍ୟାଙ୍କର ପୁଞ୍ଜି ପର୍ଯ୍ୟାପ୍ତତା ଅନୁପାତ ୧୯.୬ ପ୍ରତିଶତ ରହିଛି, ଯାହା ନିୟାମକଙ୍କ ଆବଶ୍ୟକ ସୀମାଠାରୁ ଯଥେଷ୍ଟ ଅଧିକ।
୩୦ ଜୁନ ସୁଦ୍ଧା ବ୍ୟାଙ୍କର ଦେଶବ୍ୟାପୀ ନେଟୱର୍କ ୯,୬୯୪ଟି ଶାଖା ଓ ୨୦,୯୫୮ଟି ଏଟିଏମ୍କୁ ବୃଦ୍ଧି ପାଇଛି। ଏହା ସହ ୧୪,୩୯୨ ବ୍ୟବସାୟିକ ପ୍ରତିନିଧି ମାଧ୍ୟମରେ ବ୍ୟାଙ୍କ ଗ୍ରାମାଞ୍ଚଳ ସହ ବିଭିନ୍ନ ଅଞ୍ଚଳରେ ସେବା ପ୍ରଦାନ କରୁଛି।














