ଭୁବନେଶ୍ୱର: ଆସିଲା ବାତ୍ୟାଜନିତ କୃଷି କ୍ଷୟକ୍ଷତିର ରିପୋର୍ଟ । କୃଷି ଭବନରେ ବାତ୍ୟା ଜନିତ ଫସଲ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କେ.ଭି. ସିଂହଦେଓ । ମନ୍ତ୍ରୀ କହିଛନ୍ତି କି, ପ୍ରାଥମିକ ଆକଳନ ରିପୋର୍ଟ ଅନୁଯାୟୀ ରାଜ୍ୟରେ ୭୯ ହଜାର ୬୭୧ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି । ୧ ଲକ୍ଷ ୯୯ ହଜାର ୧୭୭ ଏକର ଜମିରେ ଚାଷ କ୍ଷତିଗସ୍ତ ହୋଇଛି । କେନ୍ଦ୍ରାପଡ଼ାରେ ୨୩ ହଜାର ହେକ୍ଟର ଜମି କ୍ଷତି ହୋଇଛି । ସର୍ବାଧିକ ରାଜକନିକା, ଆଳି, ମହlକlଳପଡ଼ା କ୍ଷତିଗ୍ରସ୍ତ ହୋଇଛି । ଭଦ୍ରକରେ ୨୪ ହଜାର ୧୧୫ ହେକ୍ଟର ଜମି କ୍ଷତି ହୋଇଛି । ବାସୁଦେବପୁର, ଚାନ୍ଦବାଲି, ଭଣ୍ଡାରି ଭୋଖରି, ଧାମନଗରରେ କ୍ଷତି ହୋଇଛି । ବାଲେଶ୍ୱରରେ ୩୧୪୦ ହେକ୍ଟର ଜମି କ୍ଷତି ହୋଇଛି । ସେହିପରି ମୟୂରଭଞ୍ଜରେ ମୋଟ ୨୩୮୧ ହେକ୍ଟର ଚାଷ ଜମି କ୍ଷୟକ୍ଷତି ହୋଇଛି । ଯାଜପୁରରେ ୨୭୦୯, ଜଗତସିଂହପୁରରେ ୨୪୯୮ ହେକ୍ଟର ଜମି କ୍ଷୟ କ୍ଷତି ହୋଇଛି । ବୈଠକରେ କୃଷି ସଚିବଙ୍କ ସମେତ ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ପ୍ରଭାବିତ ହୋଇଥିବା ଜିଲ୍ଲାର ଜିଲ୍ଲାପାଳ ମାନେ ଭିସି ଜରିଆରେ ବୈଠକରେ ସାମିଲ ହୋଇଛନ୍ତି ।
ଆଜି କୃଷି ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ବାତ୍ୟା ‘ଦାନା’ଜନିତ ଫସଲ କ୍ଷୟକ୍ଷତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ, କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ନିଖିଲ୍ ପୱନ କଲ୍ୟାଣ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିବାବେଳେ ଆଭାସି ମାଧ୍ୟମରେ ରାଜ୍ୟର ବିଭିନ୍ନ ଜିଲ୍ଲାର କୃଷି ଅଧିକାରୀବୃନ୍ଦ ଯୋଗଦେଇଥିଲେ । ବର୍ଷା କମିବା ପରେ ଅଫିସରମାନେ ଗ୍ରାଉଣ୍ଡକୁ ଯାଇ କ୍ଷୟକ୍ଷତିର ଜିଓ ଟ୍ୟାଗିଂ ରିପୋର୍ଟ ସରକାର ଓ କୃଷି ବିଭାଗକୁ ପଠାଇବେ ଓ ସେହି ରିପୋର୍ଟକୁ ଆଧାର କରି କୃଷି ବିଭାଗ, ଏସ୍ଆର୍ସି ନିର୍ଦ୍ଦେଶ ଅନୁଯାୟୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଫିସ ଦ୍ୱାରା ଆବଶ୍ୟକ ନିଷ୍ପତ୍ତି ନିଆଯିବ । ଚାଷୀମାନଙ୍କ ଯାହା ଅଧିକାର ସେମାନେ ନିଶ୍ଚିତ ପାଇବେ, ତାହାକୁ ଯୋଗାଇ ଦେବାକୁ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ସିଂହଦେଓ କହିଛନ୍ତି ।
ସେହିପରି ରାଜ୍ୟ କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ସୂଚନା ଦେଇ କହିଛନ୍ତି ଯେ, ରାଜସ୍ୱ ଓ କୃଷି ବଭାଗର ମିଳିତ ସହଯୋଗରେ କ୍ଷୟକ୍ଷତି ଆକଳନ କରାଯିବ। ଜଳସେଚିତ ଜମିରେ ଫସଲ ନଷ୍ଟ ହୋଇଥିଲେ ଚାଷୀଙ୍କୁ ହେକ୍ଟର ପିଛା ୧୭ହଜାର ଟଙ୍କା, ଆଗ୍ରୋ ଫରେଷ୍ଟ/ ପ୍ଲାଂଟେସନ୍ ଚାଷ ନଷ୍ଟ ହୋଇଥିଲେ ହେକ୍ଟର ପିଛା ୨୨୫୦୦ଟଙ୍କା କ୍ଷତିପୂରଣ ଦିଆଯିବ । ସେହିପରି ଯଦି କୌଣସି ଚାଷୀଙ୍କ ଅଧା ହେକ୍ଟର ଚାଷଜମି ନଷ୍ଟ ହୋଇଥିବ ତାଙ୍କୁ ୪୨୦୦ଟଙ୍କା ସହାୟତା ମିଳିବ । ଅଳ୍ପ କିଛି କ୍ଷତି ହୋଇଥିଲେ ସର୍ବନିମ୍ନ ୧ହଜାର ଟଙ୍କା କ୍ଷତିପୂରଣ ଦିଆଯିବ । ଅନ୍ୟପକ୍ଷରେ କୃଷି ବିଭାଗର ତଥ୍ୟ ଅନୁସାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଯାହାଙ୍କ ପାଖରେ ୨ହେକ୍ଟର ପର୍ଯ୍ୟନ୍ତ ଚାଷଜମି ଥିବ ଓ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିବ ତା’ହେଲେ ସରକାରଙ୍କ ଧାର୍ଯ୍ୟ ସହାୟତା ମୂଲ ରେନଫେଡ୍ ଏରିଆର ହେକ୍ଟର ପିଛା ୮୫୦୦ଟଙ୍କା, ନିଶ୍ଚିତ ଜଳସେଚନ ଏରିଆରେ ହେକ୍ଟର ପିଛା ୧୭ହଜାର ଟଙ୍କା ଓ ପାରମ୍ପରିକ ଚାଷ ପାଇଁ ହେକ୍ଟର ପିଛା ୨୨୫୦୦ଟଙ୍କା ସହାୟତା ଦିଆଯିବ । ବାତ୍ୟା ଦାନା ପ୍ରଭାବରେ ରାଜ୍ୟର ୧୪ଟି ଜିଲ୍ଲା ପ୍ରଭାବିତ ହୋଇଥିବାବେଳେ ୫ଟି ଜିଲ୍ଲା କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାର ଚାଷଜମି ଜଳମଗ୍ନ ହେବା ସହ ଫସଲ ମଧ୍ୟ ନଷ୍ଟ ହୋଇଥିବା ଆଶଙ୍କା କରାଯାଉଛି ।
ଉପ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି କି, ଜିଲ୍ଲାସ୍ତରରୁ ଆଖି ଦେଖା ରିପୋର୍ଟ ଆସିଛି । ବର୍ଷା କମିଲା ପରେ ଫିଲଡ଼କୁ ଯାଇ ଜିଓ ଟେଗିଙ୍ଗ କରି ସରକାରଙ୍କୁ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ,SRC ଓ କୃଷି ବିଭାଗ ନିଷ୍ପତ୍ତି ନେବେ । ଲୋକଙ୍କୁ ଆମେ ଛାଡିବାକୁ ଚାଁହୁନୁ । ଲୋକଙ୍କ ଅଧିକାର ଯାହା ଦରକାର ସରକାର ଯୋଗାଇଦେବେ । SRC ଙ୍କ ନୁଆଁ ଗାଇଡଲାଇନ ଅନୁଯାଇ କ୍ଷତି ପୂରଣ ଦିଆଯିବ। ଜିଲ୍ଲାସ୍ତରରୁ ରିପୋର୍ଟ ଆସିଲେ SRC ଙ୍କୁ ଦିଆଯିବ । DBT ମାଧ୍ୟମରେ ଲୋକଙ୍କୁ କ୍ଷତି ପୂରଣ ଦିଆଯିବ । ଭୁଲ ରିପୋର୍ଟ ନଦେବା ପାଇଁ ସତର୍କ କରାଯାଉଛି । ଧରାପଡ଼ିଲେ କାର୍ଯ୍ୟାନୁଷ୍ଠାନ ନେବେ ସରକାର । ଗତକାଲି 90 % ବିଦ୍ୟୁତ କାମ ସରିଛି । ବର୍ଷା ପାଇଁ 10 % ରହିଯାଇଥିଲା । ଆଜି ସନ୍ଧ୍ୟା ସୁଦ୍ଧା ସମ୍ପୂର୍ଣ୍ଣ କାମ ସରିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କେ.ଭି. ସିଂହଦେଓ ।














