ଖୋର୍ଦ୍ଧା: ପୁରାଣ ଓ କୋରାନରେ ଲେଖାଅଛି, ପୁଣ୍ୟ କର୍ମ କରିବାରେ ଜଣେ ଅନ୍ୟ ଜଣଙ୍କ ଠାରୁ ଆଗେଇ ଯିବା ଉଚିତ । ମାନବ ସେବା ହିଁ ମାଧବ ସେବା । ଏହି ଭଳି ମାନବ ସେବା କାର୍ଯ୍ୟ କରି ଦେଖାଇଛି, ଖୋର୍ଦ୍ଧା ଅହମଦୀୟା ମୁସଲିମ ମହିଳା ସଂଗଠନ । ଏହି ସଂଗଠନ ଯାଁଳା ସ୍ଥିତ ମିଶନ ଆଶ୍ରାର ପ୍ରାୟ ୨୫୦ରୁ ଊର୍ଦ୍ଧ୍ବ ପୁରୁଷ ଓ ମହିଳାମାନଙ୍କୁ ଶୀତବସ୍ତ୍ର, ଡ୍ରେସ,ବିସ୍କୁଟ, ବ୍ରେଡ, ଚୁଡା ଓ ଗୁଡ ଇତ୍ୟାଦି ବଣ୍ଟନ କରିଛି । ବର୍ଷ ସାରା କୌଣସି ନା କୌଣସି ଅବସରରେ ବିଭିନ୍ନ ସ୍ଥାନରେ ଅହମଦୀୟା ମୁସଲିମ ମହିଳା ସଂଗଠନ ମାନବ କଲ୍ୟାଣକାରୀ କାର୍ଯ୍ୟକ୍ରମ କରିଥାନ୍ତି । ଦିନ-ଦରିଦ୍ରଙ୍କୁ ସାହାଯ୍ୟ ଓ ସହଯୋଗ କରିବା ଏଇ ସଂଗଠନର ଲକ୍ଷ । ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦ୍ୟେଶ ହେଲା, ସର୍ବେ ଭବନ୍ତୁ ସୁଖିନଃର ପରିବେଶ ଗଢିବା ସହିତ ବିଶ୍ବଶାନ୍ତି, ବିଶ୍ବ ଭାଇଚାରା ତଥା ମାନବବାଦର ପ୍ରତିଷ୍ଠା କରିବା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ମହିଳା ସଭାନେତ୍ରୀ ସୟଦା ଜୈବୁନ ନିସା, ସମ୍ମାନୀତ ଅତିଥି ଭାବେ ରେହାନା ପରଓ୍ବିନ, ରଶିଦା ପରଓ୍ବିନ ଏବଂ ହୁସନେ ଆରା ବେଗମ ଯୋଗଦେଇ ଥିଲେ ।