ଭୁବନେଶ୍ୱର : ଆଜିଠାରୁ ସ୍ଥାନୀୟ ୟୁନିଟ୍-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି ପ୍ରସିଦ୍ଧ ବାର୍ଷିକ ଆଦିବାସୀ ମେଳା। ଏହି ରାଜ୍ୟସ୍ତରୀୟ ଆଦିବାସୀ ମେଳାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିଥିବା ବେଳେ ଏଥିରେ ଦେଖିବାକୁ ମିଳିଛି ଶିକ୍ଷା ଓ ସଂସ୍କୃତିର ଅପୂର୍ବ ମିଳନ । ଏହି ମେଳା ଆଦିବାସୀମାନଙ୍କ କଳା, ସଂସ୍କୃତି ଓ ପରମ୍ପରାକୁ ଏକତ୍ର କରିବାର ସୁଯୋଗ ସୃଷ୍ଟି କରିଛି। ଏଥିସହ ଏହି ମେଳାରେ ନୂଆ କିଛି ଝଲକ ମଧ୍ୟ ଦେଖିବାକୁ ମିଳିଛି। ବିଶେଷ କରି ସାନ୍ତାଳୀର ନୂଆ ରୂପ ଦେଖିବାକୁ ମିଳିଛି। ମୁଖ୍ୟ ଗେଟ୍ ଦେଇ ପ୍ରବେଶ କରିବା ବେଳେ ଡାହାଣ ପଟରେ ପାଇବେ ବିର୍ସା ମୁଣ୍ଡା ପଭିଲିଆନ ଏବଂ ସେଠାରେ ରହିଛି ପ୍ରଥମ ଥର ଲାଗି ସାନ୍ତାଳୀ ଲିପିର ନୂଆ ଚମକ୍। ଡିଜିଟାଲ ଯୁଗରେ ଲୋକେ ଫୋନ୍, ୱେବ୍, ଇଣ୍ଟରନେଟ୍ ଆଦିରେ ସାନ୍ତାଳୀ ଲିପି କେମିତି ଲେଖିବେ ତାହା ହୋଇଛି ସହଜ। ରାଜ୍ୟ ସରକାରଙ୍କ ” ଓଡ଼ିଶା ଭର୍ଚୁଆଲ ଏକାଡେମୀ ” ପକ୍ଷରୁ ସଂଚାଳିତ ଏବଂ ବିଶେଷଜ୍ଞଙ୍କ ଦ୍ଵାରା ନୂଆ ପ୍ରୟାସ ସଫଳ ହୋଇଛି। ଅତି ସହଜରେ ଜଣେ ଆଦିବାସୀ ଭାଇଭଉଣୀ ଏବେ ସାନ୍ତାଳୀ ଲିପି ବ୍ୟବହାର କରି ଫୋନ୍ କି କମ୍ପ୍ୟୁଟର୍ରେ ନିଜ କାର୍ଯ୍ୟ କରିପାରିବେ। ଏହାକୁ ବହୁତ୍ ଲୋକ ପସନ୍ଦ କରୁଛନ୍ତି। ସାନ୍ତାଳୀଭାଷର ଏହି ନୂଆ ରୂପକୁ ଦେଖିବାକୁ ମଧ୍ୟ ପ୍ରଥମ ଦିନରୁ ଦର୍ଶକଙ୍କ ଗହଳି ଲାଗିଛି।