ଭୁବନେଶ୍ୱର : ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଲୋକ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲକୋ) ଏବଂ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ, ଭାରତ ସରକାର ଅଧୀନରେ ଥିବା ଦକ୍ଷତା ବିକାଶ ପ୍ରତିଷ୍ଠାନ(ଏସଡିଆଇ), ଭୁବନେଶ୍ୱର ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ନାଲକୋ ଫାଉଣ୍ଡେସନ ସହାୟତାରେ ସ୍ୱାକ୍ଷରିତ ଏହି ବୁଝାମଣା ପତ୍ର ଦ୍ୱାରା କମ୍ପାନୀର ପାର୍ଶ୍ୱବର୍ତ୍ତୀ ଗ୍ରାମଗୁଡ଼ିକର ଯୁବକ ଯୁବତୀମାନଙ୍କ ପାଇଁ ଏକ ଆବାସିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ନାଲକୋ ସିଏମଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ ତଥା ନିର୍ଦ୍ଦେଶକ(ମାନବ ସମ୍ବଳ) ଡ. ତାପସ କୁମାର ପଟ୍ଟନାୟକ ଏବଂ ଉଭୟ ସଂସ୍ଥାର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।
ଏହି ପଦକ୍ଷେପ ମାଧ୍ୟମରେ, ଭାରତ ସରକାରଙ୍କ ଜାତୀୟ ଦକ୍ଷତା ବିକାଶ ପରିଷଦର ଜାତୀୟ ଦକ୍ଷତା ଯୋଗ୍ୟତା ଫ୍ରେମୱାର୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, ନାଲକୋର ମାଇନ୍ସ ଆଣ୍ଡ ରିଫାଇନାରୀ କମ୍ପ୍ଲେକ୍ସ, ଦାମନଯୋଡ଼ି ଏବଂ ସ୍ମେଲଟର ଆଣ୍ଡ ପାୱାର କମ୍ପ୍ଲେକ୍ସ, ଅନୁଗୋଳର ପରିପାର୍ଶ୍ଵିକ ଗ୍ରାମରୁ ପ୍ରାଥମିକ ପର୍ଯ୍ୟାୟରେ ସମୁଦାୟ ୬୦ ଜଣ ଯୁବକ ଯୁବତୀଙ୍କୁ ତିନି ମାସିଆ ଆବାସିକ ଦକ୍ଷତା ତାଲିମ ପ୍ରଦାନ କରାଯିବ। ଏହି ଅବସରରେ ସିଏମଡି ଶ୍ରୀ ସିଂହ କହିଥିଲେ ଯେ, “ସ୍ଥାନୀୟ ଯୁବକଯୁବତୀଙ୍କୁ ଶିଳ୍ପ ଆବଶ୍ୟକତା ଅନୁସାରେ ଦକ୍ଷତା ଏବଂ ସ୍ଥାୟୀ ଜୀବିକା ସୁଯୋଗ ମାଧ୍ୟମରେ ସଶକ୍ତ କରିବା ଦିଗରେ ଏହା ଏକ ପଦକ୍ଷେପ ଅଟେ”। ଏସଡିଆଇ, ଭୁବନେଶ୍ୱରର ମିଳିତ ସହଯୋଗରେ, ନାଲକୋ ତୃଣମୂଳ ସ୍ତରର ପ୍ରତିଭାମାନଙ୍କୁ ଅଧିକରୁ ଅଧିକ ପ୍ରୋତ୍ସାହିତ କରିବା ଦିଗରେ କାର୍ଯ୍ୟ କରିବାର ଲକ୍ଷ୍ୟ ରଖିଛି ବୋଲି ମଧ୍ୟ ସେ କହିଥିଲେ। ନାଲକୋର ଏହି ସିଏସଆର ପଦକ୍ଷେପ କମ୍ପାନୀର ପରିଚାଳନା କ୍ଷେତ୍ରଗୁଡ଼ିକରେ ଯୁବ ଦକ୍ଷତା, ନିଯୁକ୍ତି ଏବଂ ସ୍ଥାୟୀ ଜୀବିକା ସୃଷ୍ଟି ମାଧ୍ୟମରେ ସାମୁଦାୟିକ ବିକାଶ ପ୍ରତି ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।














