ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଓଡ଼ିଶା ସିଭିଲ ସର୍ଭିସ-୨୦୨୩ ପରୀକ୍ଷାର ଫଳ ପ୍ରକାଶ ପାଇଛି। ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ପରିଚାଳିତ ଏହି ପରୀକ୍ଷାରେ ୩୯୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୪୪ ଜଣ ମହିଳା ଅଛନ୍ତି। ଅନୁଗୋଳର ପ୍ରିୟାଂଶୁ ପାଲ ଟପ୍ପର ହୋଇଛନ୍ତି। ପ୍ରଥମ ଦଶ ଜଣଙ୍କ ମଧ୍ୟରେ କେବଳ ଜଣେ ମହିଳା ଅଛନ୍ତି। ତାଙ୍କ ନାଁ ଅନନ୍ୟା ମିଶ୍ର। ସେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଶୋଭନ ପଟ୍ଟନାୟକ ତୃତୀୟ ସ୍ଥାନରେ ରହିଥିବା ବେଳେ ମିର୍ଜା ଫୈଜ ଅହମଦ କାଦ୍ରୀ ଚତୁର୍ଥ, ଚିନ୍ମୟ ସାହୁ ପଞ୍ଚମ, ଅନ୍ତିମ ସ୍ୱାଇଁ ଷଷ୍ଠ, ଶୈଳେଶ କୁମାର ଭୋଇ ସପ୍ତମ, ମହମ୍ମଦ ନଜିଫ ହତିଫ ଅଷ୍ଟମ, ଚିନ୍ମୟ କୁମାର ପାଢ଼ୀ ନବମ ଓ ମିଲନ ମହାପାତ୍ର ଦଶମ ସ୍ଥାନରେ ରହିଛନ୍ତି।
ଟପ୍ ଟେନ୍ରେ ଜଣେ ମହିଳା ଥିଲେ ହେଁ ଟପ୍ ଟ୍ୱେଣ୍ଟିରେ ୯ ଜଣ ମହିଳା ଅଛନ୍ତି। ସେମାନେ ହେଉଛନ୍ତି ଅନନ୍ୟା ମିଶ୍ର (୨), ପୂଜା ଯୋଶୀ (୧୧), ସ୍ୱରୂପିଣୀ ପଟନାୟକ (୧୨), ସ୍ନେହା ଦାସ ମହାପାତ୍ର (୧୪), ଦୀପସୀତା ବେହେରା (୧୬), ସୁପ୍ରିୟା ମିଶ୍ର (୧୭), ଅସୀମା ଅନ୍ୱେଷା (୧୮), ଏମ୍ଜି ସୁବର୍ଣ୍ଣା ମହାନ୍ତି (୧୯) ଓ ଆକାଂକ୍ଷା ମହାନ୍ତି (୨୦)। ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସ୍ସି) ପକ୍ଷରୁ କୃତକାର୍ଯ୍ୟ ହୋଇଥିବା ଏହି ୩୯୮ ଜଣ ପରୀକ୍ଷାର୍ଥୀଙ୍କୁ ଓଡ଼ିଶା ପ୍ରଶାସନିକ ସେବା (ଗ୍ରୁପ୍-ଏ ଓ ବି) ୨୦୨୩ ଅଧୀନରେ ନିଯୁକ୍ତି ଦେବାକୁ ସୁପାରିଶ କରିଛନ୍ତି। ଓସିଏସ୍ ପରୀକ୍ଷା-୨୦୨୩ ପାଇଁ ଚଳିତ ବର୍ଷ ଏପ୍ରିଲ ମାସ ୧୯, ୨୦, ୨୨, ୨୪, ୨୭ ଓ ମେ’ ୧୫ ତାରିଖରେ ମୁଖ୍ୟ (ଲିଖିତ) ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ତା’ପରେ ସେପ୍ଟେମ୍ବର ୬ରୁ ୧୮ ତାରିଖ ପର୍ଯ୍ୟନ୍ତ ସାକ୍ଷାତକାର ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହା ପରେ ଆଜି ଫଳ ଘୋଷଣା କରାଯାଇଛି।
ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-୨୦୨୩ରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ତାଙ୍କ ‘ଏକ୍ସ’ରେ ଲେଖିଛନ୍ତି, ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ପ୍ରଶାସନିକ ସେବା ଏକ ଗର୍ବର ବିଷୟ ଏବଂ ରାଜ୍ୟର ବିକାଶଧାରାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆପଣମାନେ ସ୍ୱଚ୍ଛ, ନିରପେକ୍ଷ ଓ ଲୋକାଭିମୁଖୀ ହୋଇ ତୃଣମୂଳସ୍ତରରୁ ରାଜ୍ୟର ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ଆଶା କରୁଛି। ଆପଣମାନଙ୍କ ଭବିଷ୍ୟତ କାର୍ଯ୍ୟକାଳ ଉଜ୍ଜ୍ୱଳ ହେଉ ଏବଂ ବୃତ୍ତିଗତ ଜୀବନରେ ଆପଣମାନେ ଉନ୍ନତି କରନ୍ତୁ ବୋଲି କାମନା କରୁଛି।














