କଣାସ : ପୁରୀ କଣାସରେ ଜଘନ୍ୟ କାଣ୍ଡ । ବସ୍ ଭିତରେ ପଶି ଯାତ୍ରୀଙ୍କୁ ହାଣି ପକାଇଲା ଯୁବକ । ଘଟଣାରେ ୭ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଲକ୍ଷ୍ମୀ ବସ୍ରେ ଯାତ୍ରା କରୁଥିବାବେଳେ ବସ୍ ଭିତରେ ପଶି ୭ଜଣଙ୍କୁ ଅମାନୁଷିକ ଭାବେ ହାଣି ପକାଇଛି ଯୁବକ । ଦୀର୍ଘ ଘଣ୍ଟା ପରେ ଅଭିଯୁକ୍ତ ତୋଫାନକୁ କାବୁ କରିଛି ପୁଲିସ । ଗଡ଼ଖାରଦରୁ କଣାସ ଅଭିମୁଖେ ଗଡ଼ୁଥିଲା ବସ୍, ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ଅପେକ୍ଷାରେ ଥିଲେ ଯାତ୍ରୀ । ହେଲେ ହଠାତ୍ କୋଟକଣା ଛକରେ ଚଳନ୍ତା ବସ୍ରେ ଆତଙ୍କରାଜ ଆରମ୍ଭ କରିଥିଲା ସତ୍ୟବାଦୀର ସଇତାନ ତୋଫାନ ଭୋଇ । କେହି କିଛି ଭାବିବା ପୂର୍ବରୁ ସାଥୀରେ ଆଣିଥିବା କଟୁରି ବାହାର କରିଥିଲା ଏବଂ ଚଳନ୍ତା ବସ୍ରେ ସାମ୍ନାରେ ଯିଏ ପଡିଲା ତାକୁ ଚୋଟ ପରେ ଚୋଟ ମାରି ଚାଲିଥିଲା । ବସ୍ ଭିତରେ ଯିଏ ବାଧା ଦେଲା, ସିଏ ଖାଇଲା ତୋଫାନର କଟୁରି ଚୋଟ । ୬ ଜଣ ଯାତ୍ରୀଙ୍କୁ ହାଣି ଗୁରୁତର କରିଛି ଏହି ସଇତାନ।
ଯାତ୍ରୀଙ୍କୁ ହାଣିବା ପରେ ବି ଥମିନଥିଲା ତୋଫାନ । ବସ୍କୁ ସମ୍ପୂର୍ଣ୍ଣ ଭାବେ ନିଜ କବଜାକୁ ନେଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତୋଫାନକୁ କାବୁ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ପ୍ରଥମରୁ ବିଫଳ ହୋଇଥିଲା । ବସ୍ ଭିତରକୁ ପୁଲିସ ପଶିବାକୁ ଚେଷ୍ଟା କରିବାରୁ କଟୁରିରେ ହାଣିଥିଲା ତୋଫାନ । ବସ୍ ଭିତରକୁ ଇଟା ପଥର ମାଡ଼ କରିଥିଲେ ସ୍ଥାନୀୟ ବାସିନ୍ଦା । ବସ୍ର ଚାରିପାଖ କାଚକୁ ସମ୍ପୂର୍ଣ୍ଣ ଭାଙ୍ଗିବା ପରେ ଅଭିଯୁକ୍ତ ତୋଫାନକୁ ନିର୍ଦ୍ଧୁମ ପିଟି କାବୁ କରିଥିଲେ ଲୋକେ । ଗୁରୁତର ଅବସ୍ଥାରେ ତୋଫାନକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବସ୍କୁ ଜବତ କରିବା ସହ କଣାସ ପୁଲିସ ତଦନ୍ତ ଆରମ୍ଭ କରିଛି । ହେଲେ ପ୍ରଶ୍ନ ଉଠୁଛି, କାହିଁକି ଚଳନ୍ତା ବସ୍ରେ ଯାତ୍ରୀଙ୍କୁ ଆକ୍ରମଣ କଲା ତୋଫାନ? ବ୍ୟକ୍ତିଗତ ଶତ୍ରୁତା ନା ଆଉ କିଛି ?














